ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଜାରି ରହିଥିବା ବେଳେ ଗଜପତି ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଜିଲ୍ଲା ଦାୟିତ୍ୱରେ ଥିବା ପ୍ରିୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଲୋକଙ୍କ ସୁରକ୍ଷା ଓ ଦୁଃଖରେ ସାମିଲ ହେବା ପାଇଁ ଯାଉଥିବା ସମୟରେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ମିଳିଥିବା ସୂଚନା ଅଯୁଆନ, ମନ୍ତ୍ରୀ ଶ୍ରୀ ସୂରଜ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ, କାଶୀନଗର ଜିପି ଏବଂ ମହେନ୍ଦ୍ରଗିରି ରାସ୍ତାରେ ଗସ୍ତ କରୁଥିଲେ। ସେହି ସମୟରେ ବାତ୍ୟାଜନିତ ପ୍ରବଳ ବର୍ଷା କାରଣରୁ ପାହାଡ଼ ଉପରୁ ହଠାତ୍ ପ୍ରଚଣ୍ଡ ବେଗରେ ମାଡ଼ିଆସିଥିଲା ଅଣ୍ଟାଏ ଉଚ୍ଚର ଗୋଳିଆ ପାଣି। ରାସ୍ତା ଉପରେ ପାଣିର ସ୍ରୋତ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଭସାଇ ନେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଠିକ୍ ସେହି ମହର୍ତ୍ତରେ ମନ୍ତ୍ରୀଙ୍କ ଗାଡ଼ି ସେହି ବାଟ ଦେଇ ପାର ହେଉଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଶେଷ କୃପା ଏବଂ ଲୋକଙ୍କ ଆଶୀର୍ବାଦରୁ ମନ୍ତ୍ରୀଙ୍କ ଗାଡ଼ି ସୁରକ୍ଷିତ ଭାବେ ସେହି ସ୍ଥାନ ପାର ହୋଇଯାଇଛି। ଏହି ଭୟଙ୍କର ଅନୁଭୂତିକୁ ନିଜେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆରେ ବର୍ଣ୍ଣନା କରି କହିଛନ୍ତି ଯେ, ଏହାକୁ ଭାବିଲେ ଏବେ ବି ଛାତି ଥରି ଯାଉଛି।
ଯାହାର ହୃଦୟରେ ସତ୍ୟ ଅଛି, କର୍ମରେ ନ୍ୟାୟ ଅଛି ଏବଂ ଜୀବନର ମୁଖ୍ୟ ବ୍ରତ ହେଉଛି ଜନସେବା, ତାଙ୍କୁ ସ୍ୱୟଂ ଭଗବାନ ସବୁ ବିପଦରୁ ରକ୍ଷା କରନ୍ତି—ଆଜି ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି। ନିଜ ଜୀବନକୁ ବାଜି ଲଗାଇ, ବର୍ଷା ଓ ବାତ୍ୟାକୁ ଖାତିର ନ କରି ଯେଉଁଭଳି ଭାବେ ଜନପ୍ରତିନିଧିମାନେ ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ତାହା ପ୍ରକୃତ କର୍ତ୍ତବ୍ୟନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି।
