“ବାପା ମୋତେ ଏଠୁ ନେଇଯାଅ…” ୧୦ ଦିନ ପରେ ବାପାଙ୍କୁ କୋଳେଇ ଭୋ ଭୋ କାନ୍ଦିଲା କୁନି ଝିଅ। 102

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା… ଅହଂକାର… ଆଉ ଅଭିମାନ। ଏଭଳି ଦାମ୍ପତ୍ୟ ଲଢ଼େଇରେ ସବୁଠାରୁ ବେଶି ହାରିଯାଏ କିଏ ଜାଣନ୍ତି? ସେମାନଙ୍କର ସେଇ ନିଷ୍ପାପ ଶିଶୁ, ଯିଏ ବଡ଼ମାନଙ୍କ ଜିଦ୍ ଆଗରେ ବଳି ପଡ଼ିଯାଏ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା, ଯାହା ଦେଖିଲେ ହୁଏତ ଆପଣଙ୍କ ଆଖି ବି ଓଦା ହୋଇଯିବ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ଝଡ଼ରେ କେମିତି ଜଣେ କୁନି ଝିଅକୁ ଦୀର୍ଘ ୧୦ ଦିନ କନ୍ୟାଶ୍ରମରେ କାଟିବାକୁ ପଡ଼ିଲା, ସେ କଥା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ।ବୟସ ସିନା କମ୍, ହେଲେ ପରିସ୍ଥିତି ସେ କୁନି ଝିଅକୁ ଭିତରୁ ଖୁବ୍ ବଡ଼ କରିଦେଇଛି। ବାପା ସତ୍ୟବାନ ଓ ମା’ କରିସ୍ମାଙ୍କ କଳହ ଯୋଗୁଁ ମାମଲା ଥାନାକୁ ଗଲା, ଥାନାରୁ ଚାଇଲ୍ଡ ଲାଇନ୍ ଏବଂ ଶେଷରେ ଝିଅକୁ ମିଳିଲା କନ୍ୟା ଆଶ୍ରମର ଚାରି କାନ୍ଥ। ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଉଛି, ଝିଅଟି ବାପାଙ୍କ ପାଖରେ ରହିବାକୁ ଚାହୁଁଛି, ବାପା ମଧ୍ୟ ତାକୁ ଆପଣେଇବାକୁ ପ୍ରସ୍ତୁତ ଅଛନ୍ତି, ଏପଟେ ମା’ ମଧ୍ୟ ଝିଅକୁ ନିଜ ପାଖରେ ରଖିବାକୁ ଜିଦ୍ ଧରିଛନ୍ତି। ହେଲେ ଏହି ଅହଂକାରର ଲଢ଼େଇ ଭିତରେ ୧୦ ଦିନ ଧରି ନିରାଶ୍ରୟ ହୋଇ ରହିଗଲା ଏହି ନିଷ୍ପାପ ଶିଶୁ।

ଝିଅର କୋହଭରା ଆକୁଳ ନିବେଦନ: “ବାପା ମୋତେ ଏଠୁ ନେଇଯାଅ, ମୁଁ ଏଠି ଆଉ ଜମାରୁ ରହିବିନି…”

୧୦ ଦିନ ପରେ ଯେତେବେଳେ ବାପା-ଝିଅଙ୍କ ଦେଖା ହେଲା, ସେତେବେଳେ ଝିଅର ଏଭଳି କୋହଭରା କଥା ସେଠାରେ ଉପସ୍ଥିତ ସମସ୍ତଙ୍କୁ ମର୍ମାହତ କରିଥିଲା। ତେବେ ମା’ଙ୍କ କହିବା କଥା- ବାପାଙ୍କ ପାଖରେ ଝିଅ ସୁରକ୍ଷିତ ନୁହେଁ। ଏହି ଘଟଣାରେ ଖୋଦ୍ ସାଂସଦ ହସ୍ତକ୍ଷେପ କରିବା ପରେ ଏବେ କୁନି ଝିଅଟି ବାପାଙ୍କ ପାଖକୁ ଫେରିବାକୁ ଯାଉଛି ସତ, ହେଲେ ପ୍ରଶ୍ନ ଉଠୁଛି- ବାପା-ମା’ଙ୍କ ଏହି ଇଗୋ ଏବଂ ଜିଦ୍‌ର ଯେଉଁ ମାନସିକ ଆଘାତ କୁନି ଝିଅଟି ପାଇଲା, ସେଥିପାଇଁ ଦାୟୀ କିଏ?

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy