ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟଦ୍ୱାର କେବଳ ପରିବାର ସଦସ୍ୟଙ୍କ ଯିବା ଆସିବା ପାଇଁ ନୁହେଁ, ବରଂ ଏହା ଦେଇ ହିଁ ସୁଖ-ସମୃଦ୍ଧି ଓ ମା’ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। କିନ୍ତୁ ଅନେକ ସମୟରେ ଆମେ ଅଜାଣତରେ ମୁଖ୍ୟଦ୍ୱାର ନିକଟରେ ଏମିତି କିଛି ଜିନିଷ ରଖିଦେଉ, ଯାହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ଫଳରେ ଘରେ ଦାରିଦ୍ର୍ୟ ମାଡ଼ି ଆସିବା ସହ ଅଭାବ ଅନଟନ ଲାଗି ରହେ।
କେଉଁ ଜିନିଷ ପ୍ରତି ରଖିବେ ନଜର?
୧. ଅସନା ଜୋତା ଓ ଚପଲ: ଅଧିକାଂଶ ଲୋକ ଘର ବାହାରେ ବା ଦ୍ୱାର ମୁହଁରେ ଅସନା ଜୋତା-ଚପଲ ଗଦା କରି ରଖନ୍ତି। ବାସ୍ତୁ ଅନୁସାରେ ଏହା ସବୁଠାରୁ ବଡ଼ ଭୁଲ୍। ମୁଖ୍ୟଦ୍ୱାରରେ ଅପରିଷ୍କାର ଜୋତା ରହିଲେ ମା’ ଲକ୍ଷ୍ମୀ କେବେବି ସେହି ଘରକୁ ପ୍ରବେଶ କରନ୍ତି ନାହିଁ।
୨. ଭଙ୍ଗା ଜିନିଷ କିମ୍ବା ଆବର୍ଜନା: ଘର ସଫା କରିବା ପରେ ଅନେକ ସମୟରେ ଝାଡ଼ୁ କିମ୍ବା ଅଦରକାରୀ ଭଙ୍ଗା ଜିନିଷ ମୁଖ୍ୟଦ୍ୱାର କୋଣରେ ରଖିଦିଆଯାଏ। ଏହା ରାହୁ ଓ ଶନିଙ୍କ କୁପ୍ରଭାବ ବଢ଼ାଇଥାଏ, ଯାହା ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରେ।
୩. କଣ୍ଟା ଜାତୀୟ ଗଛ: ସୌନ୍ଦର୍ଯ୍ୟ ପାଇଁ କିଛି ଲୋକ ଦ୍ୱାର ମୁହଁରେ କ୍ୟାକ୍ଟସ ବା କଣ୍ଟା ଥିବା ଗଛ ରଖନ୍ତି। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି କରିବା ସହ ଆୟ ଅପେକ୍ଷା ବ୍ୟୟ ବଢ଼ାଇଥାଏ।
୪. ଅନ୍ଧାର ଓ ମଇଳା: ଯଦି ଆପଣଙ୍କ ମୁଖ୍ୟଦ୍ୱାର ସବୁବେଳେ ଅନ୍ଧାରିଆ ରହୁଛି ବା ଦ୍ୱାରରେ ମୁହଁରେ ଅଳନ୍ଧୁ ରହୁଛି, ତେବେ ତୁରନ୍ତ ଏହାକୁ ସଫା କରନ୍ତୁ। ସନ୍ଧ୍ୟା ସମୟରେ ମୁଖ୍ୟଦ୍ୱାର ପାଖରେ ଆଲୋକ ଜଳାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
ନିଜ ଭାଗ୍ୟ ବଦଳାଇବାକୁ ଚାହୁଁଥିଲେ ଆଜି ହିଁ ନିଜ ଘରର ମୁଖ୍ୟଦ୍ୱାରକୁ ପରିଷ୍କାର ରଖନ୍ତୁ। ଦ୍ୱାର ସମ୍ମୁଖରେ ଏକ ସୁନ୍ଦର ରଙ୍ଗୋଲି କିମ୍ବା ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରକୁ ସୁଖ ଓ ସମୃଦ୍ଧିର ଆଗମନ ହୋଇଥାଏ।
