ଭାରତୀୟ ରୋଷେଇ ଘରେ ଜୁଆଣି ଏକ ଅପରିହାର୍ଯ୍ୟ ମସଲା। ଗ୍ୟାସ୍, ବଦହଜମି କିମ୍ବା ପେଟ ଯନ୍ତ୍ରଣା ହେଲେ ଆମେ ତୁରନ୍ତ ଜୁଆଣି ଖାଇଥାଉ। ଆୟୁର୍ବେଦ ଅନୁଯାୟୀ ଏହାର ଅନେକ ଔଷଧୀୟ ଗୁଣ ରହିଛି, କିନ୍ତୁ ଆପଣ ଜାଣନ୍ତି କି? ଅମୃତ ସମାନ ଏହି ଜୁଆଣିକୁ ଯଦି ଆପଣ ଭୁଲ୍ ଉପାୟରେ କିମ୍ବା ଅଧିକ ପରିମାଣରେ ସେବନ କରନ୍ତି, ତେବେ ଏହା ଶରୀର ପାଇଁ ବିଷ ସଦୃଶ ହୋଇପାରେ।
କେମିତି କରିବେ ସଠିକ୍ ସେବନ? ବିଶେଷଜ୍ଞଙ୍କ ଅନୁଯାୟୀ, ଜୁଆଣିକୁ ସବୁବେଳେ ସୀମିତ ପରିମାଣରେ ଖାଇବା ଉଚିତ୍। ଦିନକୁ ୨ ରୁ ୩ ଗ୍ରାମରୁ ଅଧିକ ଜୁଆଣି ସେବନ କରିବା ଅନୁଚିତ୍। ଯଦି ଆପଣ ଗ୍ୟାସ୍ ସମସ୍ୟା ପାଇଁ ଏହାକୁ ଖାଉଛନ୍ତି, ତେବେ ହାଲୁକା ଉଷୁମ ପାଣି ସହ ଏହାକୁ ସେବନ କଲେ ସର୍ବାଧିକ ଲାଭ ମିଳିଥାଏ।
ଭୁଲ୍ ଭାବେ ଖାଇଲେ କ’ଣ ହୁଏ କ୍ଷତି?
୧. ଏସିଡିଟି ବୃଦ୍ଧି: ଜୁଆଣିର ପ୍ରକୃତି ଗରମ। ଯଦି ଆପଣଙ୍କର ପୂର୍ବରୁ ଏସିଡିଟି ବା ପେଟରେ ଜଳାପୋଡ଼ା ସମସ୍ୟା ରହିଛି, ତେବେ ଅଧିକ ଜୁଆଣି ଖାଇବା ଦ୍ୱାରା ଏହା ସମସ୍ୟାକୁ ଦ୍ୱିଗୁଣିତ କରିଦିଏ।
୨. ଗର୍ଭବତୀଙ୍କ ପାଇଁ ବିପଦ: ଗର୍ଭବତୀ ମହିଳାମାନେ ଜୁଆଣି ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏହାର ଅତ୍ୟଧିକ ଗରମ ପ୍ରଭାବ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ।
୩. ମୁହଁରେ ଘା’: ଅତ୍ୟଧିକ ଜୁଆଣି ଖାଇଲେ ପାଟିରେ ଘା’ କିମ୍ବା ଛାଲି ପଡ଼ିବାର ଆଶଙ୍କା ଥାଏ।
ସତର୍କତା: ଯଦି ଆପଣଙ୍କର ଲିଭର ସମ୍ବନ୍ଧୀୟ କୌଣସି ରୋଗ ଅଛି କିମ୍ବା ପେଟରେ ଅଲସର ଅଛି, ତେବେ ଜୁଆଣିଠାରୁ ଦୂରେଇ ରୁହନ୍ତୁ। ମନେରଖନ୍ତୁ, ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେଣୁ ସଠିକ୍ ମାତ୍ରାରେ ଏହାକୁ ବ୍ୟବହାର କରି ଏହାର ପ୍ରକୃତ ଫାଇଦା ଉଠାନ୍ତୁ।
