ମୟୂରଭଞ୍ଜ ଗାଁ ଦାଣ୍ଡରେ କାଳରାତ୍ରି ସାଜିଲା ବିଶାଳକାୟ ଭାଲୁ। ସଞ୍ଜ ନଇଁଲେ ଲୋକଙ୍କ ମନରେ ପସୁଛି ଛନକା। ରାତି ତମାମ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଏଭଳି ଏକ ହୃଦୟଥରା ସ୍ଥିତି ଦେଖିବାକୁ ମିଳିଛି, ଯାହା ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ନିକଟସ୍ଥ ଜଙ୍ଗଲରୁ ଏକ ବିଶାଳକାୟ କଳା ଭାଲୁ ଗାଁ ଭିତରକୁ ପଶି ଆସୁଛି। ବିଶେଷ କରି ରାତି ହେଲେ ଏହି ବନ୍ୟଜନ୍ତୁଟି ଖାଦ୍ୟ ଅନ୍ୱେଷଣରେ ଗାଁର ଗଳିକନ୍ଦି ଓ ଲୋକଙ୍କ ଦୁଆରମୁହଁରେ ବୁଲୁଥିବାର ନଜର ଆସୁଛି। ଭାଲୁ ଭୟରେ ସଞ୍ଜ ହେବା ମାତ୍ରେ ଗ୍ରାମବାସୀମାନେ ନିଜ ନିଜ ଘର କବାଟ ବନ୍ଦ କରି ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଜରୁରୀ କାମ ଥିଲେ ମଧ୍ୟ କେହି ରାତିରେ ଘରୁ ବାହାରିବାକୁ ସାହସ କରୁନାହାନ୍ତି।
ଗ୍ରାମବାସୀମାନେ ବାରମ୍ବାର ବନ ବିଭାଗକୁ ଏବାବଦରେ ସୂଚନା ଦେଇଥିଲେ ହେଁ, ଭାଲୁକୁ ଘଉଡ଼ାଇବା କିମ୍ବା କାବୁ କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଯଦି ଅତିଶୀଘ୍ର ଏହି ବିଶାଳକାୟ ଭାଲୁକୁ ଧରା ନଯାଏ, ତେବେ ଯେକୌଣସି ସମୟରେ ଏକ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ବନ ବିଭାଗ ତୁରନ୍ତ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
