ଆଜି ମେ’ ୧ ତାରିଖ ଅର୍ଥାତ୍ ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଆଜିର ଦିନରେ ନେତା, ମନ୍ତ୍ରୀ ଆଉ ପ୍ରଶାସକଙ୍କ ତରଫରୁ ସୋସିଆଲ୍ ମିଡିଆରେ ଛୁଟୁଛି ଶୁଭେଚ୍ଛାର ବନ୍ୟା। ବଡ଼ ବଡ଼ ପୋଷ୍ଟର ଆଉ ଭାଷଣ ମାଧ୍ୟମରେ ଶ୍ରମିକ ଭାଇଭଉଣୀଙ୍କୁ ବୋଳି ଦିଆଯାଉଛି ଅଭିନନ୍ଦନ। କିନ୍ତୁ ଆଜି ଏହି ଅବସରରେ ଆମର ସରକାରଙ୍କୁ ଗୋଟିଏ ସିଧା ପ୍ରଶ୍ନ- ଖାଲି ମିଛଟାରେ ଶୁଖିଲା ଅଭିନନ୍ଦନ ଜଣାଇଦେଲେ କ’ଣ ଶ୍ରମିକର ଦୁଃଖ ଦୂର ହୋଇଯିବ? ତା’ ପରିବାର ମୁହଁରେ ହସ ଫୁଟିଯିବ?
ଯେଉଁ ଶ୍ରମିକ ଖରା, ବର୍ଷା ଓ ଶୀତକୁ ଖାତିର୍ ନକରି ନିଜ ଝାଳ ରକ୍ତ ବୁହାଇ ଏ ଦେଶ ତଥା ରାଜ୍ୟର ବିକାଶର ମୂଳଦୁଆ ପକାଉଛି, ତାର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସରକାର ଛାତି ପିଟି କହୁଛନ୍ତି ଆମେ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରିଛୁ। କିନ୍ତୁ ବାସ୍ତବରେ ଶ୍ରମିକମାନେ କ’ଣ ତାଙ୍କର ଉଚିତ ପଇସା ପାଉଛନ୍ତି? ଆକାଶଛୁଆଁ ଦରଦାମ ଭିତରେ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ମଜୁରୀ ବି ସେମାନଙ୍କୁ ମିଳୁନାହିଁ। କୋଠାବାଡି ନିର୍ମାଣ ଠାରୁ ଆରମ୍ଭ କରି କଳ କାରଖାନା ପର୍ଯ୍ୟନ୍ତ, ସବୁଠି ଚାଲିଛି ଶ୍ରମିକଙ୍କ ପ୍ରତି ଶୋଷଣ। ଦିନରାତି ଖଟିଲା ପରେ ବି ଠିକାଦାର ଓ କମ୍ପାନୀ ମାଲିକମାନେ ସେମାନଙ୍କ ଉଚିତ ପ୍ରାପ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଆଉ ସରକାରୀ ବାବୁମାନେ ସବୁ ଜାଣିଶୁଣି ଆଖି ବୁଜି ଦେଇଛନ୍ତି।
ସରକାର ପ୍ରକୃତରେ ଶ୍ରମିକଙ୍କ ପାଇଁ କଣ କରିଛନ୍ତି? ପେଟର ନିଆଁ ଲିଭାଇବା ପାଇଁ ଆଜି ବି ହଜାର ହଜାର ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ସୁଦୂର ରାଜ୍ୟକୁ ଯାଉଛନ୍ତି ଆଉ ନିର୍ଯାତନାର ଶିକାର ହେଉଛନ୍ତି। ଶ୍ରମିକ କାର୍ଡ ଓ ପଞ୍ଜୀକରଣ ନାଁରେ କେବଳ ପ୍ରହସନ ଚାଲିଛି। ଶ୍ରମିକଟିଏ କର୍ମକ୍ଷେତ୍ରରେ ଦୁର୍ଘଟଣାର ଶିକାର ହେଲେ ବା ରୋଗରେ ପଡ଼ିଲେ ତାକୁ ଠିକରେ କ୍ଷତିପୂରଣ ମିଳୁନି କି ତାର ପିଲାମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା ନାହିଁ। ବର୍ଷକେ ଥରେ ମେ’ ୧ ତାରିଖ ଆସିଲେ ସରକାରଙ୍କର ଶ୍ରମିକ ପ୍ରେମ ଉତ୍କଳି ପଡୁଛି। ଏସି (AC) ରୁମ୍ରେ ବସି ଯୋଜନା ପ୍ରସ୍ତୁତ କରୁଥିବା ଅଧିକାରୀମାନେ ଜଣେ ଶ୍ରମିକର ଝାଳର ମୂଲ୍ୟ କେବେବି ବୁଝିପାରିବେ ନାହିଁ। ଶ୍ରମିକ ଦିବସରେ ସରକାରଙ୍କୁ ଏତିକି ଅନୁରୋଧ, ଏ ମିଛ ପ୍ରଶଂସା ଓ ଅଭିନନ୍ଦନର ନାଟକ ବନ୍ଦ କରନ୍ତୁ। ଶ୍ରମିକମାନଙ୍କୁ ସେମାନଙ୍କର ପ୍ରକୃତ ହକ୍ ଓ ଉଚିତ ମୂଲ୍ୟ ଦେବାର ଦୃଢ଼ ବ୍ୟବସ୍ଥା କରନ୍ତୁ। ଯେବେ ଜଣେ ଗରିବ ଶ୍ରମିକକୁ ତାର ଝାଳ ଶୁଖିବା ପୂର୍ବରୁ ତାର ଉଚିତ ପ୍ରାପ୍ୟ ମିଳିଯିବ ଏବଂ ତାର ସାମାଜିକ ସୁରକ୍ଷା ନିଶ୍ଚିତ ହେବ, ସେବେ ଯାଇ ପ୍ରକୃତରେ ଶ୍ରମିକ ଦିବସ ପାଳନ ସାର୍ଥକ ହେବ।
