ଆପଣ କ’ଣ ବଜାରରେ ମିଳୁଥିବା ପ୍ୟାକେଟ୍ ଜୁସ୍କୁ ସ୍ୱାସ୍ଥ୍ୟକର ମନେକରି ଢକ ଢକ କରି ପିଉଛନ୍ତି? ଯଦି ହଁ, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ। ଫଳ ରସ ନାଁରେ ଆପଣ ଶରୀରକୁ ଯେଉଁ ପାନୀୟ ଛାଡୁଛନ୍ତି, ତାହା ପ୍ରକୃତରେ ଅମୃତ ନୁହେଁ ବରଂ ‘ଧିମା ବିଷ’। ଆଧୁନିକ ଜୀବନଶୈଳୀରେ ନିଜକୁ ଫିଟ୍ ରଖିବାକୁ ଯାଇ ଆମେ ଯେଉଁ ପ୍ୟାକେଟ୍ ଜୁସ୍ ଉପରେ ଭରସା କରୁଛୁ, ତାହା ଭିତରେ ଲୁଚି ରହିଛି ସାଂଘାତିକ ‘ସୁଗାର୍ ବୋମା’।
ବିଶେଷଜ୍ଞଙ୍କ ମତରେ, ବଜାରରେ ମିଳୁଥିବା ଅଧିକାଂଶ ପ୍ୟାକେଟ୍ ଜୁସ୍ରେ ପ୍ରାକୃତିକ ଫଳର ଅଂଶ ଖୁବ୍ କମ୍ ଥାଏ। ଏହାକୁ ଦୀର୍ଘଦିନ ସୁରକ୍ଷିତ ରଖିବା ପାଇଁ ଏଥିରେ ପ୍ରଚୁର ପରିମାଣରେ ‘ପ୍ରିଜରଭେଟିଭ୍’ ଏବଂ କୃତ୍ରିମ ସୁଗାର୍ ବ୍ୟବହାର କରାଯାଏ। ଗୋଟିଏ ଛୋଟ ପ୍ୟାକେଟ୍ ଜୁସ୍ରେ ପ୍ରାୟ ୫ରୁ ୧୦ ଚାମଚ ଚିନି ଥାଇପାରେ, ଯାହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ହଠାତ୍ ବଢ଼ାଇ ଦିଏ। ଏହା କେବଳ ମଧୁମେହ ବା ଡାଇବେଟିସ୍ ନୁହେଁ, ବରଂ ମୋଟାପଣ, ହୃଦରୋଗ ଏବଂ ଲିଭର ସମସ୍ୟାର ମୁଖ୍ୟ କାରଣ ସାଜୁଛି। ଛୋଟ ପିଲାମାନେ ଏହାକୁ ଅଧିକ ପିଉଥିବାରୁ ସେମାନଙ୍କ ଦାନ୍ତ ନଷ୍ଟ ହେବା ସହ ଶାରୀରିକ ବିକାଶରେ ମଧ୍ୟ ବାଧା ସୃଷ୍ଟି ହେଉଛି।
ତେଣୁ ସତର୍କ ହୁଅନ୍ତୁ! ପ୍ୟାକେଟ୍ ଉପରେ ଲେଖାଥିବା ‘୧୦୦% ନ୍ୟାଚୁରାଲ୍’ କିମ୍ବା ‘ନୋ ଆଡେଡ୍ ସୁଗାର୍’ ଭଳି ଚମକଦାର ବିଜ୍ଞାପନ ଭ୍ରମରେ ପଡ଼ନ୍ତୁ ନାହିଁ। ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ୟାକେଟ୍ ଜୁସ୍ ବଦଳରେ ସତେଜ ଫଳ ଖାଆନ୍ତୁ କିମ୍ବା ଆଖି ଆଗରେ ପ୍ରସ୍ତୁତ ହେଉଥିବା ତାଜା ରସ ପିଅନ୍ତୁ। ମନେରଖନ୍ତୁ, ସାମାନ୍ୟ ଅସାବଧାନତା ଆପଣଙ୍କୁ ମରଣ ମୁହଁକୁ ଠେଲି ଦେଇପାରେ।
