ରାଜ୍ୟ ରାଜନୀତିରେ ପୁଣି ବାଜିବାକୁ ଯାଉଛି ବିଗୁଲ୍… ପ୍ରସ୍ତୁତ ହେଉଛି ଆଉ ଏକ ମହାସମରର ବ୍ଲୁ-ପ୍ରିଣ୍ଟ । ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ! ଲୋକସଭା ଓ ବିଧାନସଭାରେ ହଲଚଲ୍ ସୃଷ୍ଟି କରିବା ପରେ, ଏବେ ସମସ୍ତ ଦଳଙ୍କ ନଜର ଗାଁ ଗହଳିର ଭୋଟ୍ ବ୍ୟାଙ୍କ ଉପରେ । ହେଲେ ଏହି ସମର ଭିତରେ ସବୁଠୁ ବଡ଼ ପ୍ରଶ୍ନ… କଣ ଏଥର ପଞ୍ଚାୟତରେ ପଦ୍ମ ଫୁଟାଇ ପାରିବ କି ବିଜେପି?
ଗାଁ ରାଜନୀତିର ଅଙ୍କକଷା ପୂରା ଅଲଗା । ଏଠି କେବଳ ଦଳୀୟ ଚେହେରା ନୁହେଁ, ବରଂ ଭାଇଚାରା, ସମ୍ପର୍କ ଓ ସ୍ଥାନୀୟ ସମୀକରଣ କଥା କହେ । ରାଜ୍ୟରେ ଶାସନ ଡୋରି ଧରିବା ପରେ, ବିଜେପି ପାଇଁ ଏହି ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଏକ ବଡ଼ ଅଗ୍ନିପରୀକ୍ଷା । ଏକଦା ପଞ୍ଚାୟତ ସ୍ତରରେ ନିଜର ଦବଦବା ଜାହିର କରିଥିବା ମଜଭୁତ ବିରୋଧୀଙ୍କୁ ମାତ୍ ଦେବା ଏତେ ସହଜ ହେବନି । ଦଳୀୟ କ୍ୟାମ୍ପରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି… ନେତାଙ୍କର ଗାଁ ମୁହାଁ ଦୌଡ଼ ଆରମ୍ଭ ହୋଇଗଲାଣି । କିନ୍ତୁ ଭିତରେ ଭିତରେ କିଛି ଖେଳ ବିଗିଡ଼ିବାର ଭୟ ମଧ୍ୟ ଘାରିଛି।
ବିରୋଧୀ କ୍ୟାମ୍ପରେ ବି ଚାଲିଛି ଜୋରଦାର ପ୍ରସ୍ତୁତି । ନିଜର ହୃତ ଗୌରବ ଫେରାଇ ଆଣିବାକୁ ଗାଁ ମାଟିରେ ଖେଳାଯିବ ନୂଆ ରାଜନୈତିକ ଖେଳ । ସରକାରୀ ଯୋଜନା, ବିକାଶର ପ୍ରତିଶ୍ରୁତି ଆଉ ଭୋଟ୍ ବ୍ୟାଙ୍କର ରାଜନୀତି ଭିତରେ… କାହାକୁ ବାଛିବେ ଗାଁ ଲୋକେ? ବିଜେପିର ଡବଲ ଇଞ୍ଜିନ ସରକାରର ଲହର ଗାଁ ପଞ୍ଚାୟତରେ କାମ କରିବ ତ? ନା ବିରୋଧୀଙ୍କ ରଣନୀତି ଆଗରେ ଫେଲ୍ ମାରିବ ବିକାଶର ନାରା?
ସମୟ ପାଖେଇ ଆସୁଛି… ଆଉ ପ୍ରତି ମୁହୂର୍ତ୍ତରେ ବଢୁଛି ସସପେନ୍ସ । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ? କିଏ ପିନ୍ଧିବ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦର ତାଜ୍?
