କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ମୁଦ୍ରା ନଦୀରେ ଗାଧୋଇବାକୁ ଯାଇ ଏକ ବଡ଼ ଅଘଟଣ ଘଟିଛି। ନଦୀରେ ବୁଡ଼ିଯାଇ ଜଣେ ୧୨ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସ୍ଥାନୀୟ ବାସିନ୍ଦା ରାଜାରାମ ବାଗଙ୍କ ସାନ ପୁଅ ମହାବୀର ବାଗ ଏବଂ ଗୁରୁତର ଜଣକ ହେଲେ ରିନୁ ସୁନାନୀ।
ସୂଚନା ଅନୁଯାୟୀ, ମହାବୀର, ରିନୁ ଓ ସାଗର ନାମକ ୩ ଜଣ ସାଙ୍ଗ ଏକାଠି ମୁଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ। ସାଗର ନଦୀ କୂଳରେ ପୋଷାକ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ମହାବୀର ଓ ରିନୁ ପାଣିକୁ ଡେଇଁ ପଡ଼ିଥିଲେ। ନଦୀରେ ପାଣିର ପ୍ରଖର ସ୍ରୋତ ଥିବାରୁ ଉଭୟ ଭାସିଯାଉଥିବା ଦେଖି ସାଗର ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ଜଣେ ସ୍ଥାନୀୟ ଯୁବକ ତୁରନ୍ତ ଉଦ୍ୟମ କରି ରିନୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ, ମାତ୍ର ମହାବୀର ପାଣିରେ ବୁଡ଼ି ଯାଇଥିଲେ।
ଖବର ପାଇ ପରିବାର ଲୋକଙ୍କ ସହ ଧର୍ମଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨ ଘଣ୍ଟାର ଖୋଜାଖୋଜି ପରେ ମହାବୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଧର୍ମଗଡ଼ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗାଁ ମଶାଣିରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ହୃଦୟ ବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି ଜିଲ୍ଲାରୁ ଜ୍ୟୋତିରଞ୍ଜନ ବେମାଲଙ୍କ ରିପୋର୍ଟ 24NEWSODIA
