ପିଲା ୬ ମାସର ହେବା ପରେ ବାପା-ମା’ ତାଙ୍କୁ କଠିନ ଖାଦ୍ୟ ଦେବା ଆରମ୍ଭ କରନ୍ତି। ପିଲା ଯେମିତି ସଅଳ ଏବଂ ସ୍ୱାଦିଷ୍ଟ ଭାବେ ଖାଇବ, ସେଥିପାଇଁ ଅନେକ ସମୟରେ ଖାଦ୍ୟରେ ଅଳ୍ପ ଲୁଣ କିମ୍ବା ଚିନି ମିଶାଇ ଦିଆଯାଏ। କିନ୍ତୁ ଶିଶୁ ବିଶେଷଜ୍ଞଙ୍କ ମତରେ, ୧ ବର୍ଷରୁ କମ୍ ପିଲାଙ୍କ ଖାଦ୍ୟରେ ଲୁଣ ଏବଂ ଚିନିର ବ୍ୟବହାର ଆଦୌ କରିବା ଉଚିତ୍ ନୁହେଁ।
କାହିଁକି ଦେବେ ନାହିଁ ଲୁଣ? ଛୋଟ ପିଲାଙ୍କ କିଡ୍ନୀ (Kidney) ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ। ଅଧିକ ଲୁଣ ଖାଇବା ଦ୍ୱାରା ସେମାନଙ୍କ କିଡ୍ନୀ ଉପରେ ଚାପ ପଡ଼ିଥାଏ, ଯାହା ଆଗକୁ ଯାଇ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ପିଲାଙ୍କ ଶରୀର ପାଇଁ ଆବଶ୍ୟକ ସୋଡିୟମ୍ ସେମାନଙ୍କୁ ମା’ କ୍ଷୀର କିମ୍ବା ଫର୍ମୁଲା କ୍ଷୀରରୁ ସହଜରେ ମିଳିଯାଇଥାଏ।
କାହିଁକି ଦେବେ ନାହିଁ ଚିନି? ପିଲାଙ୍କୁ ଛୋଟବେଳୁ ଚିନି ଦେବା ଦ୍ୱାରା ସେମାନଙ୍କ ଦାନ୍ତ ନଷ୍ଟ ହେବା ଆଶଙ୍କା ଥାଏ। ଏହାସହ ଶରୀରରେ ମେଦବହୁଳତା (Obesity) ଏବଂ ଭବିଷ୍ୟତରେ ମଧୁମେହ (Diabetes) ର ବିପଦ ବଢ଼ିଯାଏ। ଚିନି ଖାଇବା ଦ୍ୱାରା ପିଲାମାନେ ଅନ୍ୟ ପୁଷ୍ଟିକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ।
ବିଶେଷଜ୍ଞଙ୍କ ପରାମର୍ଶ: ୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରାକୃତିକ ସ୍ୱାଦର ଅଭ୍ୟାସ କରାନ୍ତୁ। ମିଠା ପାଇଁ ଆପଣ ଖାଦ୍ୟରେ ପାଚିଲା କଦଳୀ କିମ୍ବା ସେଓ ପ୍ୟୁରି (Apple Puree) ମିଶାଇ ପାରିବେ। ମନେରଖନ୍ତୁ, ଶିଶୁର ସୁସ୍ଥ ଭବିଷ୍ୟତ ପାଇଁ ୧ ବର୍ଷ ଯାଏଁ ଲୁଣ ଓ ଚିନିକୁ ‘ନା’ କୁହନ୍ତୁ।
