ଶ୍ରୀଜଗନ୍ନାଥଙ୍କ ଜମି ଜାଲିଆତି୬ ଜଣଙ୍କୁ ବାନ୍ଧିଲା ପୋଲିସ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ଜାଲିଆତି କରି ନିଜ ନାମରେ କରାଇ ନେବା ସହ ପରେ ଏହାକୁ ବେଆଇନ୍ ଭାବେ ଲୋକଙ୍କୁ ବିକ୍ରି କରିବା ଅଭିଯୋଗରେ ପୁରୀ ବାସେଳୀ ସାହି ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି। ବେଆଇନ ଭାବେ ମହାପ୍ରଭୁଙ୍କ ଜମି ବିକ୍ରି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନର ଓଏସଡି ଶିବଶଙ୍କର ସାହୁ ୬ ଜଣ ଅଭିଯୁକ୍ତଙ୍କ ନାଁ ରେ ବାସେଳୀ ସାହି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ୬ ଜଣ ଜମି ମାଫିଆ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଖା ସାହିର ଶିଶୁଳ ବେହେରା, ସଞ୍ଜୟ ବେହେରା, ଯଶୋବନ୍ତ ବେହେରା, ମୋହନ ବେହେରା, ରତ୍ନାକର ବେହେରା ଓ ବାବୁ ବେହେରା।
ପୋଲିସର ସୂଚନା ଅନୁସାରେ ଗୋଖା ସାହିର ମହାବୀର ଜନସେବା ସଂଘ କ୍ଲବର ସଭାପତି, ସମ୍ପାଦକ ଏବଂ ଅନ୍ୟ ସଦସ୍ୟମାନେ ମହାପ୍ରଭୁଙ୍କର ଜମି ମାଟି ତୋଟା ମୌଜାରେ ଜବରଦଖଲ କରି ବେଆଇନ୍ ଭାବେ ଲୋକଙ୍କୁ ବିକ୍ରି କରିଦେଇଥିଲେ। ମହାବୀର ଜନସେବା ସଂଘ ଏହି ଜମି ବିକ୍ରି ବାବଦରେ ୨୮ ଲକ୍ଷ ଟଙ୍କା ଲୋକଙ୍କ ଠାରୁ ସଂଗ୍ରହ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ମାନେ ଏହି ସଂଘର କର୍ମକର୍ତ୍ତା ଭାବେ ରହିଛନ୍ତି।