ଆଜି ଶେଷ ରଜକୁ ବେଶ ଧୂମଧାମର ସହ ପାଳନ କରୁଛନ୍ତି ରାଜ୍ୟବାସୀ । ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠା, ପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର । ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠା ପଣାର ମଜା ଉଠାଉଛନ୍ତି ।